Posts

Showing posts from 2021

ପତ୍ରଝଡା

  ପତ୍ରଝଡା ***** ନିୟତୀର ସୂଚୀପତ୍ର , ଆକସ୍ମିକ ଦୁର୍ବିପାକ ବା ଅସହ୍ୟ ତାରତମ୍ୟର ନିଷ୍ଠୁର ପ୍ରତିଫଳନ , କିନ୍ତୁ ଅନ୍ତରାଳେ ସମ୍ଭାବନାର ଏକ ସୁନ୍ଦର ଜୀବନ! ହେଲେ ବସା ବାନ୍ଧିଥିବା ପକ୍ଷୀସବୁ ଭୁଲି ଯାନ୍ତି ସାକାର କରିଥିବା ଅତୀତର ସବୁ ସ୍ବପ୍ନ , ବାଟୋଇଟା ଦଣ୍ଡେବି ଚାହେଁନି ମନେ ବି ପକାଏନି ଏହି ବୃକ୍ଷ ତଳେ କେତେ ଶୀତଳତା ପୂର୍ଣ୍ଣ ଥିଲା ବିଗତ ଗ୍ରୀଷ୍ମର ମଧ୍ୟାହ୍ନ!  

କିଏ ସିଏ

  କିଏ ସିଏ ******** ସମୁଦ୍ରର ଢେଉରେ ହଜି ଯାଉଥିବା ମୁକ୍ତା ବିନ୍ଦୁ ସବୁକୁ ଗୋଟିଏ ମାଳାରେ ବାନ୍ଧି ରଖିବାର ସଫଳ ରୂପାୟନର ଅଭିବ୍ୟକ୍ତି ସେ , ଆଷାଢର ବାରିଧାରେ ମୁକ୍ତ ଆକାଶ ତଳେ ଭିଜୁଥିବା କାନଭାସରେ ଅମୂଲ୍ୟ ଛବି ଗୁଡ଼ିକୁ ସଂରକ୍ଷିତ ରଖିବାର ଅଦମ୍ୟ ପ୍ରୟାସ ସେ , କାଳଗ୍ରାସୀ ଭୂଚଳନରେ ଅସ୍ତିତ୍ୱ ହରାଉ ଥିବା ଶିଳା ଖଣ୍ଡକୁ ବାନ୍ଧିରଖିବାର ଦୁର୍ବାର ପ୍ରଚେଷ୍ଟା ସେ , ମୁଁ ଠାରୁ ଅଲଗା ହୋଇ ଅସହାୟ ଯନ୍ତ୍ରଣାରେ ଜର୍ଜରିତ ଆତ୍ମା ଗୁଡିକୁ ସ୍ୱାଭିମାନର ମନ୍ତ୍ରରେ ଉଦବୃଦ୍ଧ କରିଥିବା ମହାସ୍ତୋତ୍ର ଟିଏ ସିଏ , କଳିଙ୍ଗ , ଉତ୍କଳ , ଓଡିଶାର ସ୍ୱତନ୍ତ୍ର ପରିଚୟ ସେ , କୁଳବୃଦ୍ଧ , ଉତ୍କଳଗୌରବ , ଯୁବ ଚେତନାର ଅପରାଜେୟ ଧ୍ୱଜାବାହକ ମଧୁବାବୁ ସେ!  

ଡର

  ଡର ***** ଶାନ୍ତ ସୁର୍ୟୋଦୟରେ ଉତପ୍ତ ମଧ୍ୟାହ୍ନରେ କ୍ଲାନ୍ତ ଅପରାହ୍ନରେ ସନ୍ଧ୍ୟାର ମୁହଁ ଅନ୍ଧାରରେ ବା ନିସ୍ତବ୍ଦ ମଧ୍ୟ ରାତ୍ରରେ , ଏଠି ଡର କେମିତି ଅନବରତ ରାଜତ୍ୱ କରୁଛି! ମନ୍ଦିର ବେଢାରେ , ଭଗବାନଙ୍କ ରତ୍ନ ସିଂହାସନରେ , ଯୀଶୁଙ୍କ ଗୀର୍ଜା ଘରରେ , ଆହ୍ଲାଙ୍କ ମସଜିଦରେ , କବୀରଙ୍କ ଗୁରୁଦ୍ୱାରରେ ପ୍ରଶାନ୍ତ ବୌଦ୍ଧ ସ୍ତୁପରେ ଡରଟା ନିଜର ଆସ୍ଥାନ ଜମାଇ ଦେଇଛି! ବିଦ୍ୟାଳୟ ଠୁଁ କାର୍ଯ୍ୟାଳୟ କୃଷିକ୍ଷେତ୍ର ଠୁଁ ନ୍ୟାୟାଳୟ ବଜାର ଠୁଁ ଚିକିତ୍ସାଳୟ ସବୁଠିଁ ଡରର ଆଧିପତ୍ୟ ଅଛି! ଜଳ , ସ୍ଥଳ , ଆକାଶରେ ଅଗ୍ନି , ବାୟୁ , ବନାନୀରେ ଫଳ , ପୁଷ୍ପ , ଔଷଧିରେ ଏ ଡରଟା ପରିବ୍ୟାପ୍ତ ହୋଇଛି , ଜୀବନର ପ୍ରତିଟି ମୁହୂର୍ତ୍ତକୁ ଏ ଡର ନିଜର କରିଛି!  

ବୋଉ

  ବୋଉ ****** ଖାଁ ଖାଁ ବୈଶାଖର ନିଛାଟିଆ ଖରାବେଳେ ବାବେନା ଭୂତର ଡର , ମୁହଁ ସଞ୍ଜବେଳେ ଗାଁ ମୁଣ୍ଡ ବରଗଛ ତଳର ଝାପ୍ସା ଅନ୍ଧକାର , ନିଦ୍ରିତ ମୁଦ୍ରାରେ କିଛି ଭୟଙ୍କର ମୁହଁ ଓ ତାଙ୍କ ବିକଟ ଚିତ୍କାର , ସବୁ ତୁଚ୍ଛ ମନେହୁଅନ୍ତି ମିଳିଗଲେ କବଚ ବୋଉ ପଣତ କାନିର! ଜ୍ୱରରେ ଆଉଟି ପାଉଟି ହେଉଥିବା କୁନି କୁନି ଓଠ ଦୁଇ ଧାର , ନିୟତି ଚକ୍ରରେ ନିସ୍ତେଜ ହୋଇ ଯାଉଥିବା ଅବଶ ଶରୀର , ବିଫଳତାର ବିଷ ଜ୍ୱାଳାରେ ଭାରାକ୍ରାନ୍ତ ଅନ୍ତର , ସ୍ୱୟଂକ୍ଷମ ହୋଇଯାନ୍ତି , ଆତ୍ମ ବିଶ୍ୱାସ ଫେରିପାନ୍ତି , ଭୟକୁ ଦୂରେଇ ଦିଅନ୍ତି ଯୋଜନ ଯୋଜନ ଦୂର , ଯେବେ ସ୍ପର୍ଶ ପାଆନ୍ତି ' ବୋଉ ' ର!

ଝଡ଼ ପରର ସକାଳ

  ଝଡ଼ ପରର ସକାଳ ************** ମୃତ୍ୟୁକୁ ସାମ୍ନାରେ ଦେଖିବାର ଆଶଙ୍କା ଓ ଅନୁଭୂତି ଅପସରି ଗଲାପରେ ସବୁଠିଁ ଖାଲି ନୀରବତା , ଧ୍ବଂସାବଶେଷରୁ ଜୀବନକୁ ଖୋଜୁ ଖୋଜୁ ମିଳୁଛି ଆଞ୍ଜୁଳି ଭରା ଦୁଃଖ କିଛି ଆଶ୍ବସ୍ତି ଓ ଅସହାୟତା! ଭାଙ୍ଗିଯାଇଥିବା ହୃଦୟ ସାହସ ବାନ୍ଧୁଛି ପୁନଃ ଯୋଡ଼ିହେବା ପାଇଁ , ଅଙ୍କୁରିତ ହେଉଛି ଗଢିବାର ସ୍ବପ୍ନ ଧ୍ବଂସର ଲକ୍ଷ୍ମଣ ରେଖା ଡେଇଁ! ସମ୍ଭାବନା ସବୁ ପୁଣି ଜମାଟ ବାନ୍ଧୁଛନ୍ତି ନହୋଇ ଦୁର୍ବଳ , କାଳ ରାତ୍ରିର ଅବସାନ ପରେ ଆସିଛି ଝଡ଼ ପରର ସକାଳ!

ଗୋପବନ୍ଧୁ

  ଗୋପବନ୍ଧୁ ********* ଏବେବି ଜୀବନ ଓ ମରଣ ମଧ୍ୟେ ସୂତା ଖିଅର ଅନ୍ତର , ଦ୍ୱାର ଖୋଲିଦେଲେ ନିଶ୍ଚିତ ମୃତ୍ୟୁର ଡର , ଭଙ୍ଗା କୁଡ଼ିଆ ହେଉ ଅଥବା ରାଜ ନଅର , ସବୁଠୁଁ   ଦୀର୍ଘଶ୍ୱାସ ଆସେ ସେହି ଅନିଶ୍ଚିତତାର , ଅବିଶ୍ରାନ୍ତ ସଂଘର୍ଷ ଏ ଜୀବନ ଓ ମୃତ୍ୟୁର! ଏବେବି ତୁମ ଉପସ୍ଥିତି ଜଳାଏ ଦୀପ ବିଶ୍ୱାସର , ହାରିବା ମନରେ ସୃଷ୍ଟି କରେ ସ୍ବପ୍ନ ଜିତିବାର , ମୃତ୍ୟୁର ଉପତ୍ୟକାରୁ ଶୁଭେ ସଂଗୀତ ଜିଇଁବାର , ସ୍ୱାର୍ଥର ପୂର୍ଣ୍ଣାହୁତିରୁ ଜନ୍ମ ହୁଏ ବିରଳ ତ୍ୟାଗର!

ବାହୁଡା଼

  ବାହୁଡା଼ ****** ଲିଭି ଆସୁଥିବା କୁନି କୁନି ପାଦ ଚିହ୍ନକୁ ଗାଁ ଦାଣ୍ଡରେ , ଖେଳ ପଡିଆରେ , ଆମ୍ବତୋଟାରେ ନଦୀ ପଠାରେ ଖୋଜିବାର ବେଳ , ହଁ ଏବେ ବାହୁଡ଼ିବା ବେଳ! ଅନବରତ ଧାଉଁଥୁବା ଦିଗବଳୟ ମୁହାଁ ମଣିଷଟି ସ୍ବପ୍ନ ଗୁଡାକୁ ତା ଷଠି ଘରକୁ ଫେରାଇ ଦେବାର ବେଳ , ହଁ ଏବେ ବାହୁଡ଼ିବା ବେଳ! ଦୁବରୁ ଧୃମ ହେବାର ମହାଯାତ୍ରାରେ ଭେଟିଥିବା ଚିହ୍ନା ମୁହଁ ସବୁ କିଛି ହଜି ଗଲେଣି ଆଉ କିଛି ହଜିବାର ପ୍ରୟାସ ମଧ୍ୟରେ , ସେମାନଙ୍କୁ ଖୋଜିବାର ବେଳ ହଁ ଏବେ ବାହୁଡ଼ିବା ବେଳ! ସେଦିନର ବାଲିଘରକୁ ଆକାଶ ପର୍ଯ୍ୟନ୍ତ ପରିବ୍ୟାପ୍ତ କରିବାର ଦୁର୍ବାର ଅଭିପ୍ସା ଓ ବାଲିଘର ସାଥିଙ୍କ ଶୁଭେଚ୍ଛା ଏବେ ସ୍ମୃତିରେ କେବଳ ତାକୁ ଆଉଥରେ ଗଢିବାର ବେଳ , ହଁ ଏବେ ବାହୁଡ଼ିବା ବେଳ!

ଶ୍ରମିକ

ଶ୍ରମିକ  ***** ଆମେ ଅବିଶ୍ରାନ୍ତ,  ଅବିଚଳିତ ଆମର ଲକ୍ଷ୍ୟ ଅଦମ୍ୟ ଆମର ଉତ୍ସାହ  ଅନବରତ ଆମର ପ୍ରୟାସ ପରିଶ୍ରମ ଆମ ଅକ୍ଲାନ୍ତ ! ଦୟା ଆମ ପାଇଁ ସମ୍ପୂର୍ଣ ଅନସ୍ବୀକାର୍ଯ୍ୟ,  ଆହା ଶବ୍ଦ ଅଟେ  ସର୍ବଦା ବର୍ଜ୍ୟ,  ଆମ କର୍ତବ୍ୟ ହିଁ  ଆମ ସ୍ୱାଭିମାନ ଓ  ଜୀବନର ସୌର୍ଯ୍ୟ ! ଆମ ଗତି ଥମି ପାରେ  ନିୟତି ନିର୍ଦେଶରେ,  ଆହତ ହୋଇପାରୁ  ଜୀବନ ଯୁଦ୍ଧରେ,  ବିଳମ୍ବ ହୋଇ ପାରେ  ଲକ୍ଷ୍ୟ ସାଧିବାରେ  କିନ୍ତୁ  ଆତ୍ମସମର୍ପଣ କରିବୁନି ନିୟତି ପାଖରେ !

ସ୍ୱାଧୀନତା

  ସ୍ୱାଧୀନତା ******* ହଁ ମୁଁ ସ୍ୱାଧୀନ,  ଦୁଇ ଶହ ବର୍ଷର  ବ୍ରିଟିଶ ଶାସନର ଦାସତ୍ବରୁ ମୁକ୍ତି ପାଇ ମୁଁ ଏବେ ନିଜେ ନିଜର ଅଧୀନ ! ମୋ ପରିବାର, ମୋ ବନ୍ଧୁ ଓ ସ୍ବଜନ,  ମୋ ଭାଷା,  ମୋ ରାଜ୍ୟ,  ମୋ ଚାଲିଚଳନ,  ମୋ ଖାଦ୍ୟ, ମୋ ଐତିହ,  ମୋ ସଂସ୍କୃତିର ଅଭିମାନ,  ସବୁକୁ ତ୍ୟାଗ କରି,  ମୁଁ ରୁହେ ଅନ୍ୟ ପ୍ରଦେଶରେ,  କାରଣ ମୁଁ 'ଦାଦନ ' ତଥାପି ମୁଁ କହିବି  ହଁ ମୁଁ ସ୍ୱାଧୀନ ! ହଁ ମୁଁ ସ୍ୱାଧୀନ,  ମୋ ବାର୍ଦ୍ଧକ୍ୟ ଭତ୍ତାରୁ,  ବିପିଏଲ ଚାଉଳରୁ,  ଇନ୍ଦିରା ଆବାସ ପାଇଁ  ମିଳୁଥିବା କିସ୍ତିରୁ,  ସ୍ୱାସ୍ଥ୍ୟ ବୀମାରୁ,  କୃଷି ଋଣରୁ, ସରକାରୀ ସାହାଯ୍ୟରୁ,  ବିନା ପ୍ରତିବାଦରେ  ଦେବାକୁ ପଡେ ଅଂଶଧନ ମୋ ପ୍ରତିନିଧି ମାନଙ୍କୁ,  କାରଣ ଆମ ପାଇଁ ଉତ୍ସର୍ଗୀକୃତ ତାଙ୍କ ସମ୍ପୂର୍ଣ ଜୀବନ,  ହଁ ମୁଁ ସ୍ୱାଧୀନ !

ଅବାଂଛିତ ସ୍ମୃତି

 ଅବାଂଛିତ ସ୍ମୃତି  ************ ଜୀବନକୁ ଜିଇଁବାର  ସଂଘର୍ଷ କାଳରେ ବର୍ତମାନକୁ ଅତୀତରେ  ରୁପାନ୍ତରିତ କରୁ କରୁ,  ସୃତିଟା ଆସିଯାଉଛି ମନର ଆଡ଼ିବନ୍ଧ ଡେଇଁ,   ଭୟ ଓ ଆଶଙ୍କାର  ଜୁଆରରେ କଳ୍ପନାର  ବେଳାଭୂମିକୁ ଭିଜାଇ ! ଜୀବନ ସେଠି ଜୀବନକୁ  ଜୀବଶୂନ୍ୟ କରୁଛି,  ବାୟୁ ସେଠି ବାୟୁକୁ  ଅଣନିଶ୍ୱାସୀ କରୁଛି,  ବଞ୍ଚିବାର ମୋହ  ମୃତ୍ୟୁକୁ ଆଦରି ନେଉଛି,  ପାଦକୁ ଶକ୍ତି ଦେଉଥିବା  ମାଟି କେମିତି ଶୁନ୍ୟତାର ସ୍ପର୍ଶ ଦେଉଛି, ସ୍ବପ୍ନମୟ ଉଦ୍ୟାନରେ  ମୃତ୍ୟୁର ତାଣ୍ଡବ ଚାଲିଛି! (1999 ମହାବାତ୍ୟାର ସ୍ମରଣେ)

ପଖାଳ

 ପଖାଳ ****** ଏକ ଆନ୍ତରିକ ଅଭିବ୍ୟକ୍ତି ମାଟି ସହିତ ବାନ୍ଧି ରଖିବାର ଅଭେଦ୍ୟ ଶକ୍ତି, ଓଡ଼ିଆ ଜନଜୀବନର ଆଜୀବନ ସାଥି, ସମସ୍ତ ଅସମତାର  ଅକାଟ୍ୟ ପରିପନ୍ଥୀ, ଯାହାର ବିଶେଷତ୍ୱରେ  ଶବ୍ଦ ସବୁ ହାର ମାନନ୍ତି, ତାହା ପାଇଁ ଏକ ଶବ୍ଦ ବାଃ, କି ଆତ୍ମ ତୃପ୍ତି!!

ବାଜି ରାଉତ

 ବାଜି ରାଉତ  ********** ଜୀବନ କ'ଣ  ବୁଝିବା ଆଗରୁ  ମୃତ୍ୟୁ କେମିତି  ସାଥି ହୋଇଗଲା,  ମୃତ୍ୟୁ କ'ଣ  ଜାଣିବା ପୂର୍ବରୁ  ଅମରତ୍ୱ ପ୍ରାପ୍ତି ହୋଇଥିଲା,  ବନ୍ଦୀର ଜୀବନ  ଦେଖିବା ପୂର୍ବରୁ  ମୁକ୍ତିର ଗୀତ ଗାଇଥିଲା, ସାନ ଥିଲା ସିନା ହେଲେ ବଳିଦାନ ତାକୁ  କାଳଜୟୀ କଲା !

ପ୍ରଶ୍ନବାଚୀ

 ପ୍ରଶ୍ନବାଚୀ  ********* ଏମିତି କାହିଁକି ହୁଏ,  ତୁମ ନାମକୁ ଅହରହ ଜପ କରୁଥିବା ମଣିଷଟି  ତୁମ ନାମ ଅନ୍ୟ ମୁଖରୁ ଶୁଣି ଚମକି ପଡେ, ତୁମ କାମରେ ଦ୍ୱାହି ଦେଇ  ଅଜସ୍ର ପ୍ରବଚନ ଦେଉଥିବା  ଜ୍ଞାନୀ ବ୍ୟକ୍ତିଟି ତୁମ କୃତ୍ୟ କାର୍ଯ୍ୟକୁ  ଅନୁକରଣ କଲାବେଳେ  ନିଜକୁ ଅପ୍ରସ୍ତୁତ ମନେ କରେ?? ଏମିତି କାହିଁକି ହୁଏ,  ତୁମ ତ୍ୟାଗ ସହିତ  ନିଜକୁ ଯୋଡୁ ଥିବା  ତ୍ୟାଗୀ ପୁରୁଷଟି,  କିଛି ତ୍ୟାଗ କରିବାର  ସୁଯୋଗ ଆସିଲେ,  ସହଜରେ ତାହା ହାତଛଡା କରେ?  ଏମିତି କାହିଁକି ହୁଏ,  ତୁମ ଆଦର୍ଶରେ  ଅନୁପ୍ରାଣିତ ପ୍ରାଣୀଟି  ତୁମ ଯିବା ବାଟରେ ନଯାଇ  ବିପରୀତ ଦିଗରେ ନିଜ  ଲକ୍ଷ୍ୟ ସ୍ଥିର କରିଥାଏ?  ଏମିତି କାହିଁକି ହୁଏ??

ମୋ ଛାଇ ଓ ମୁଁ

 ମୋ ଛାଇ ଓ ମୁଁ  ************ ପ୍ରଭାତର ସୁନେଲି  କିରଣରେ ପୃଥିବୀଟା  ରଙ୍ଗୀନ ଦିଶୁଥିବା ବେଳେ  ମୁଁ କେମିତି ଧାଇଁଥିଲି  ଛାଇକୁ ଧରିବା ନିଶାରେ,  କୁନି କୁନି ପାଦ ମୋର  ଅକ୍ଲାନ୍ତ ଓ ଅବିଶ୍ରାନ୍ତ  ଧାଉଁ ଥିଲେ ଲମ୍ବି ଯାଉଥିବା ମୋ ଛାଇ ପଛରେ ! ସୂର୍ଯ୍ୟ ଯେବେ ପ୍ରଖର ହେଲା,  ଛାଇ ମୋର ଧିରେ ଧିରେ  ଆତ୍ମ ସମର୍ପଣ କଲା  ମୋ ନିଜ ଶରୀର ପାଖରେ,  ସମ୍ପୂର୍ଣ ସତ୍ତା ହରାଇଲା ଓ  ମୋ ସହ ଏକ ହୋଇ ଗଲା  ତପ୍ତ ମଧ୍ୟାହ୍ନରେ ! ଯେବେ ଅପରାହ୍ନ  ଧିରେ ଉପନୀତ ହେଲା  ଛାଇ ମୋର  ଗତି ବଦଳାଇଲା,  ମୋ ଶରୀର ଠୁଁ  ଲମ୍ବୀ ଲମ୍ବୀ ଗଲା  ବିପରୀତ ଦିଗରେ !  ଏଥର ସେ କ୍ଲାନ୍ତ ଥିଲା,  ଘର ମୁହାଁ ହୋଇ  ଚାଲୁଥିଲା ବିଶ୍ରାମ ନେବାକୁ,  ମୋ ପାଇଁ ଏବେ ସେ ଆହ୍ୱାନ ନଥିଲା  ବରଂ ନିରବ ଅନୁସରଣୀୟ  ମାଧ୍ୟମଟେ ଥିଲା,  ସନ୍ଧ୍ୟା ଆସିବା ମାତ୍ରେ  ଛାଇ ମୋର  ସାଥି ଛାଡି ଦେଲା, ମୋତେ ଏକା କରି ଏ ମୁହଁ ସଞ୍ଜ ଅନ୍ଧାର ମଧ୍ୟରେ !

ପୁସ୍ତକ

 ପୁସ୍ତକ ****** ତୁମେ କେବେ କୁହ ମୁଁ ନିହାତି ଅବୋଧ୍ୟ, ମୋ  କୁହା କଥାସବୁ ତୁମ ପାଇଁ ଅବୁଝା ଅଲୋଡ଼ା ବା ମୂଲ୍ୟହୀନ ଶବ୍ଦ, ପୁଣି କେବେ କୁହ ମୋତେ  ଅତ୍ୟନ୍ତ ସରଳ, ନିଷ୍କପଟ ସ୍ୱଚ୍ଛ ଓ ପବିତ୍ରତାର ସଂକେତ, ମୋ ଯୋଗୁଁ  ସଫଳତା ତୁମ ପାଖେ ହେଲା ଉପଲବ୍ଧ! ତୁମେ କୁହ ବା ନକୁହ, ମୁଁ ଥିଲି, ଅଛି ଓ ରହିବି ବିନା ଦ୍ବିଧାରେ ମୋ କଥା କହୁଥିବି, ସୂର୍ଯ୍ୟ ନହେଲେବି ଦୀପଟିଏ ପରି ନିଜ ସତ୍ତା ରଖିଥିବି, ପ୍ରଶଂସା ଓ କୁତ୍ସାର ଉର୍ଦ୍ଧ୍ୱରେ ତୁମ ଆସିବାକୁ ଚାହିଁ ରହିଥିବି!

ମୁଁ ଡ଼ଙ୍ଗା ଟିଏ

 ମୁଁ ଡ଼ଙ୍ଗା ଟିଏ ହଜିଲା ଅତୀତର ଅଧା ଭୁଲା ଐତିହ୍ୟର ମୁକସାକୀ ଟିଏ, ହୃତ ଗୌରବର କିମ୍ବଦନ୍ତୀରୁ ଆତ୍ମ ସନ୍ତୋଷ ଦେଉଥିବା ଅତି ପ୍ରିୟ ଗଳ୍ପ ଟିଏ, ବିଶ୍ୱାସରେ ଜଳୁଥିବା କ୍ଷୀଣ ଦୀପଶିଖା ଟିଏ  ଯାହା ଲିଭିଯିବାର ନିଶ୍ଚିତ  ଭୟ ମଧ୍ୟରେ ଡରି ଡରି ଜଳୁଥାଏ ଓ  ଅହରହ ସମୟକୁ ଫେରିବାକୁ କହୁଥାଏ!

ବଳରାମ ଦାସ

 ବଳରାମ ଦାସ *********** କିଏ କୁହେ ସାକ୍ଷାତ ଇଶ୍ୱର ତୁମେ କିଏ କୁହେ ଈଶ୍ୱରୀୟ ଅଂଶ, ତୁମ ଶବ୍ଦର ସମ୍ଭାର ପରିବ୍ୟାପ୍ତ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ! ତୁମ ପଂକ୍ତି ସବୁ ଆଙ୍କି ଦିଅନ୍ତି ଦିଗବଳୟେ ଗନ୍ତବ୍ୟ ପଥ, ଅତୀତର ଦର୍ପଣ ଓ ଭବିଷ୍ୟତ ସୂଚୀପତ୍ର, ସବୁ କେମିତି ସ୍ପଷ୍ଟ ହୁଅନ୍ତି, ଭକ୍ତିର ତୁଷାର ବିନ୍ଦୁ ସବୁ ଇନ୍ଦ୍ରଧନୁର ବର୍ଣାଳୀରେ ହୁଏ ଯେବେ ରୂପାନ୍ତରିତ! ସେଠି ଉଚ୍ଚ ନୀଚ୍ଚ ସବୁ ଏକାକାର, ପାଣି ଫୋଟକା ପରି ମିଳେଇ ଯାଏ ମନର ବିକାର, ବରଫ ଖଣ୍ଡ ବତ ତରଳି ଯାଏ  ଅନନ୍ତ ଯୁଗରୁ ଜମାଟ ବାନ୍ଧିଥିବା ହିମାଳୟ ପରି ଅହଂକାର! (ଓଡ଼ିଆ ଜାତିର ଅମୁଲ୍ୟ ଗ୍ରନ୍ଥ 'ଲକ୍ଷ୍ମୀ ପୁରାଣ' ର ରଚୟିତା ଶ୍ରୀ ଶ୍ରୀ ବଳରାମ ଦାସଙ୍କ ଉଦେଶ୍ୟରେ )

ଦୁଃଖ

 ଦୁଃଖ  ***** ଅନନ୍ତ କାଳରୁ  ଅନବରତ ଓ  ଅବିଶ୍ରାନ୍ତ ଭାବରେ  ଅନ୍ତରର କଥାଟାକୁ  ପ୍ରକାଶ କରିବାର  ବ୍ୟର୍ଥ ପ୍ରୟାସରେ ବିତାଉଛି ପ୍ରତିଟି ମୁହୂର୍ତ  ମୁଁ ଅଶାନ୍ତ ସାଗର, କିଏ କୁହେ ମୁଁ  ଅସହିଷ୍ଣୁ ଓ ଅଧର୍ଯ୍ୟ,  କିଏ କୁହେ ମୁଁ  ସ୍ୱାର୍ଥପର ଓ ଅତ୍ୟନ୍ତ ଅସ୍ଥିର, ସତରେ ନିଜ ଦୁଃଖ କହି ନପାରିବାର ଯନ୍ତ୍ରଣା ମଧ୍ୟରେ ମୁଁ କେତେ ନାଚାର !

ତୁମେ ଥିଲ ବୋଲି

 ତୁମେ ଥିଲ ବୋଲି! ************** ତୁମେ ଥିଲ ବୋଲି ଅଜଣା ମୁହଁ ସବୁ ଚିହ୍ନା ହୋଇଗଲେ, ସତ୍ତା ହରାଉଥିବା ଶିଳା ଖଣ୍ଡ ସବୁ ପର୍ବତର ରୂପ ନେଲେ, ଅସ୍ପୃଶ୍ୟ ମଣିଷ ଗୁଡାକ ଗାଁ ଦାଣ୍ଡେ ଚାଲିବାର ସାହସ ପାଇଲେ! ତୁମେ ଥିଲବୋଲି ଚୁପଚାପ ରହୁଥିବା ଦ୍ରୌପଦୀ, କୁନ୍ତୀ ଆଦି ମୌନ ଭଙ୍ଗ କଲେ, ଚାରି କାନ୍ଥେ ସୀମିତ ଥିବା ଶବ୍ଦ ସବୁ ସମାଜରେ ବିପ୍ଳବ ଆଣିଲେ! ଏବେ ସବୁ ଓଲଟ ପାଲଟ ଭାଗ ଭାଗ ହେବା ପାଇଁ ଚାଲେ ସର୍ବତ୍ର ସଂଘର୍ଷ, କହିବାର ସ୍ବରକୁ ଚୁପ ରହିବାକୁ ନିର୍ଦେଶ, ଆତ୍ମ ପ୍ରଚାର ପାଇଁ ସର୍ବଦା ପ୍ରୟାସ, ତୁମ କଥା ମନେ ପଡେ ହେ ବାପୁ, ଥରୁଟିଏ ଆସ!

ଅଯାଚିତ ଅପରାହ୍ନ

 ଅଯାଚିତ ଅପରାହ୍ନ! ************** ସମ୍ପର୍କର ସେତୁଟା କେବଳ ସ୍ମାରକୀ ଟିଏ  ଯାହା ଅତ୍ୟନ୍ତ ଜୀର୍ଣ୍ଣସିର୍ଣ୍ଣ, ମୋ ନିର୍ଲିପ୍ତ ବଳୟେ  ଅସଂଖ୍ୟ ବିଷାକ୍ତ ପାଦ ଚିହ୍ନ, ବୁଦ୍ଧ ହେବାର ଅଭିପ୍ସା  ଏକ ଭ୍ରାନ୍ତି ଓ ଦିବାସ୍ବପ୍ନ, ଏ ସବୁ ନୀରବରେ  କହିଦେଲା ମୋତେ ଏ ଅଯାଚିତ ଅପରାହ୍ନ!

ଦୁର୍ଗା

 ଦୁର୍ଗା  ******* କଅଁଳ ମୁହଁଟି ଭୋକରେ ଆଉଟି ପାଉଟି ହୋଇ ରାହା ଧରି କାନ୍ଦିବାର ଦୃଶ୍ୟକୁ ସହି ନପାରି ଦୁର୍ଗା ତୁମେ ଆସ,  ସାତ ସିଆଁ ଲୁଗାଟିରେ  ନିଜ ଶରୀରକୁ ଲୁଚାଇବାର  ବ୍ୟର୍ଥ ପ୍ରୟାସ କରି,  ମାଟିର ଟୋକେଇକୁ ମୁଣ୍ଡାଇ ସୁନାର ମୁକୁଟ ପରି ! ଚଳ ଚଞ୍ଚଳ ସହରର  ଲୋକାରଣ୍ୟ ତ୍ରିଛକିରେ  ମଦମତ୍ତ ଉଦ୍ଧତ ପୌରୁଷତ୍ୱର  ପ୍ରଦର୍ଶନର ଦୁର୍ବାର ପ୍ରୟାସରେ   ଭୟାର୍ତ୍ତ କିଶୋରୀଟିର  ଧର୍ଯ୍ୟ ଭଙ୍ଗ ବେଳେ ଦୁର୍ଗା ଆସ ତୁମେ  ନିରୀହ ଆଖି ଦୁଇଟିରେ ମହିଷା ମର୍ଦ୍ଧିନୀ ପରି କ୍ରୋଧାଗ୍ନି ବର୍ଷା କରି କରି! ଶାନ୍ତି ପାଇଁ ଅନ୍ୟାୟକୁ ମଥା ପାତି ସହିଯିବାର ଧର୍ଯ୍ୟ ଚ୍ୟୁତି ହେଲେ,  ଦୁର୍ଗା ତୁମେ ଆସ ସାରା ପରିବେଶରେ  ଅନ୍ୟାୟ ବିରୁଦ୍ଧରେ  ସ୍ୱର ଉତ୍ତୋଳନ କରି,  ସୁପ୍ତ ଆଗ୍ନେୟଗିରୀରୁ  ଉତପ୍ତ ଲାର୍ଭା ଉଦଗାରି !

ପରାହତ କର୍ଣ୍ଣ

 ପରାହତ କର୍ଣ୍ଣ  *********** ହଁ ମୁଁ ଶୁଦ୍ର ପୁତ୍ର  ଧନୁର୍ଦ୍ଧର ବିଶ୍ଵବିଜୟୀ  ମହାଦାନୀ କର୍ଣ୍ଣ,  ଯାହାର ଧନୁର  ଟଙ୍କାର କରୁଥିଲା ଭୟର ସଂଚାର  ଓ ଆତଙ୍କିତ ହେଉଥିଲା ଶତ୍ରୁର ହୃଦୟ ଓ ମନ ! କୃତଜ୍ଞତାର ମୁଁ  ଶେଷ୍ଠ ନିଦର୍ଶନ,  ଦୁର୍ଯ୍ୟୋଧନର ଦାନ ପାଇଁ  ହସି ହସି ସମର୍ପିଲି  ସ୍ଵ ଅର୍ଜିତ ପୁର୍ଣ୍ୟ ଓ  ମୋର ସମ୍ପୂର୍ଣ ଜୀବନ! କିନ୍ତୁ  ଅବଶୋଷ ରହିଗଲା  ପାରିଲିନି ରଖି  ମୋ କୂଳର ସମ୍ମାନ,  କରି ମୁଁ ପାରିଲିନି ନିଷ୍ପେସିତ ମାନଙ୍କର ଉତ୍ଥାନ,   ହୋଇ ମୁଁ ପାରିଲିନି ତାଙ୍କ ସ୍ୱାଭିମାନ! ଜୀବନଟା ବିତାଇଲି  ଖୋଜି ଖୋଜି  ନିଜ ଅଭିମାନ,  ମହାନ ହେବାର  ଶକ୍ତି ଥାଇବି,  ବଂଚିଥିଲି ଏକ ସ୍ୱାର୍ଥପରର ଜୀବନ,  ତେଣୁ ତ ବିଜୟୀ ଅର୍ଜୁନ  ଓ ମୁଁ ଅଟେ  ପରାହତ କର୍ଣ୍ଣ !

ଗିରିଧାରୀ

 ଗିରିଧାରୀ ******** ସେଦିନ କେମିତି ଅତର୍କିତ ମେଘଗୁଡ଼ାକ ଆକାଶରେ ଜମା ହୋଇଗଲେ, ଅସମୟରେ ସୂର୍ଯ୍ୟ କେଉଁଠି ଲୁଚିଗଲେ କଳାହାଣ୍ଡିଆ ବାଦଲ ଗୁଡାକର ମଧ୍ୟରେ, ଧୂଧୁ ଖରାବେଳଟା ପାଲଟିଗଲା ଅମାବାସ୍ୟାର ରାତ୍ରିରେ, ବିଜୁଳୀ ଘଡଘଡିରେ ଶାନ୍ତି ପ୍ରିୟ ଗୋପପୁର ହଜିଗଲା ଆତଙ୍କର ପରିଧି ମଧ୍ୟରେ! ନିରୀହ ଗୋକୁଳବାସୀ ଧାଉଁ ଥିଲେ ଏଣେ ତେଣେ ଜୀବନ ରକ୍ଷା ପାଇଁ ଆଶ୍ରୟ ଲକ୍ଷ୍ୟରେ, ଶିଶୁ ଠୁଁ ପଶୁ ପର୍ଯ୍ୟନ୍ତ ସମସ୍ତେ ବ୍ୟସ୍ତଥିଲେ  ଆତ୍ମ ସୁରକ୍ଷାରେ, ନଅ ବର୍ଷର ଚପଳ ବାଳକ କୃଷ୍ଣ ଏସବୁ ଦେଖୁଥିଲେ ଅତ୍ୟନ୍ତ ଚକିତ ଚିତ୍ତରେ, ମନରେ ତାଙ୍କ ପ୍ରଶ୍ନ ଏକ ଆସୁଥିଲା ବାରମ୍ବାର, ସତରେ କଣ ଏ ନିରୀହ ଜୀବ ସବୁ ନିଜକୁ ବଞ୍ଚାଇ ପାରିବେ ତାଙ୍କର  ନିଜ ପ୍ରୟାସରେ? ତାଙ୍କ ଚପଳ ମୁଣ୍ଡରେ ଏକ ଉପାୟ ଆସିଲା, ପ୍ରକୃତି ଠୁଁ ପ୍ରକୃତିକୁ ରକ୍ଷା ପାଇଁ ପ୍ରକୃତିର ସାହାଯ୍ୟ ଲୋଡ଼ିଲେ, ଗୋବର୍ଦ୍ଧନ ଗିରୀକୁ ସେ ଭରସାକୁ ନେଲେ  ଏକତା ହିଁ ବଳ ବୋଲି ସଭିଙ୍କୁ ପାଠ ପଢ଼ାଇଲେ, ନିରୀହ ଗୋକୁଳ ବାସୀ ତାଙ୍କ କଥା ମାନି ଚାରିଦିଗୁଁ ପ୍ରୟାସ କରିଲେ ତତକ୍ଷଣାତ ଗୋବର୍ଦ୍ଧନ ହାଲୁକା ମନେହେଲା, ଛତ୍ରୀ ସାଜି ଗୋପବାସୀଙ୍କୁ ଆଶ୍ରୟ ଦେଲା, ସଭିଙ୍କ ମୁଖରେ ଜୟଧ୍ୱନି ଥିଲା! ଏକତା ହିଁ ବଳ ବୋଲି ସମସ୍ତେ ମାନିଲେ, ନଅ ବର୍ଷ ବାଳକକୁ ତାଙ୍କ ନେତା ମାନି ନେଲେ, ତାଙ୍କ ଶକ୍ତି ନୁହେଁ, କୃଷ୍ଣର ଶକ୍ତିରେ ମେରୁ ଉର୍ଦ୍ଧ୍ୱେ ଉଠିଥିଲା, ଏହି ସତ୍ୟରୁ ସେ...

ଧର୍ମପଦ

 ଧର୍ମପଦ  ****** ଆଖି ଖୋଲିବା ପରେ  ଦେଖିଲି ଅକୁହା ଯନ୍ତ୍ରଣାରେ ଅହରହ ପୀଡିତ  ବୋଉର ଶୁଖିଲା ମୁହଁ,  ସବୁ ଦୁଃଖ ଓ କ୍ରୋଧକୁ ପିଇଯାଇ ପଥର ସହିତ ଅନବରତ ଲଢ଼ିବାର ଜେଜେଙ୍କର ମୋହ,  ପୁଅ ଥାଇ ବି ହରାଇବାର ଦୁଃଖରେ ଜର୍ଜରିତ ଜେଜେମାର କୋହ, ରାଜ୍ୟ କର୍ମେ ନିୟୋଜିତ ପିତା ମୋର ଶିଳ୍ପୀ ଶ୍ରେଷ୍ଠ ନଥିଲା ମୋ ପାଖେ  ତାଙ୍କ ପରିଚୟ,  ତେଣୁ ତ,  ରାମ, ମଧୁ, ହରିଆର  ତାଚ୍ଛଲ୍ୟ ମୋତେ କରୁଥିଲା ଏତେ ଅସହାୟ ! ବଳିଆ ମୋ ବାଲ୍ୟ ସାଥି,  ଶ୍ଵାନ ନୁହେଁ ସେ ଥିଲା ମୋପାଇଁ ସବୁଠୁଁ ବିଶ୍ୱସ୍ତ,  ସଭିଙ୍କ ଅଗୋଚରେ ତା ସହ ଯାଇଥିଲି  ବାପାଙ୍କୁ ଖୋଜିବା ପାଇଁ  ଚନ୍ଦ୍ରଭାଗାର ଅର୍କକ୍ଷେତ୍ର, ଲକ୍ଷ୍ୟ ଥିଲା ସେ କଳାକ୍ଷେତ୍ରେ  ମୋ ପିତାଙ୍କୁ ପାଇବି ନିଶ୍ଚିତ ! ହେଲେ ଜାଣି ମୁଁ ନଥିଲି  ସେଠିବି ଥିବ ସେହି  ଅସୂୟାର ଭାବ, ପିତାପୁତ୍ର ମିଳନରେ ମୋର ସାମର୍ଥ୍ୟ ହିଁ  ବିଘ୍ନ ଘଟାଇବ,  ମୋ ଉପସ୍ଥିତି  ବାର ଶହ ଶିଳ୍ପୀଙ୍କୁ  ଛୋଟ କରିଦେବ,  ମୋ କୁନି କୁନି ହାତର  ନିହାଣ ସ୍ପର୍ଶରେ  ଅଧାଗଢ଼ା କୋଣାର୍କ  ପୂର୍ଣ୍ଣ ହୋଇଯିବ ! ଶୁଣି ଥିଲି ବୋଉ ଠାରୁ  ଅଭିମନ୍ୟୁ, ଏକଲବ୍ୟ ଓ  ବେଲାଳସେନଙ୍କ ବୃତାନ୍ତ, ସମାଜର ଅସହିଷ୍ଣୁ ଭାବ ତାଙ୍କର କରିଥିଲା ଅସମୟ ଅନ୍ତ,  ପ୍ରତ୍ୟକ୍ଷ ପ୍...

କୋଣାର୍କ - 2

 କୋଣାର୍କ - 2 ********** ଅଶାନ୍ତ ସାଗରର ଅକ୍ଲାନ୍ତ ବ୍ୟର୍ଥ ପ୍ରୟାସ ଶତାବ୍ଦୀରୁ ଶତାବ୍ଦୀ ପର୍ଯ୍ୟନ୍ତ, ତଥାପି ରହିଛି, ଉତ୍କଳୀୟ ଶିଳ୍ପୀଙ୍କ କାଳଜୟୀ କୀର୍ତ୍ତିର ଅକ୍ଷୟ କିୟତାଂଶ, ଓଡ଼ିଆ ପୌରୁଷ୍ୱତର  ଅମ୍ଲାନ ଭଗ୍ନାବଶେଷ, କିଶୋର ଧର୍ମପଦର ତ୍ୟାଗର ଆଶ୍ଳେଷ, ରାଜାଶ୍ରେଷ୍ଠ ନରସିଂହଙ୍କ ଅବିଶ୍ୱାସନୀୟ ଆଦେଶ, ଶିବେଇ ସାଆନ୍ତେଙ୍କ ଅଦ୍ଭୁତ ଆତ୍ମବିଶ୍ୱାସ, ଅଚିହ୍ନା ମାଉସୀର ଦୂରଦର୍ଶୀ ଉପଦେଶ, ସୂର୍ଯ୍ୟ ଦେବଙ୍କ ପାଇଁ ଅଖଣ୍ଡ ବିଶ୍ୱାସ, ଚନ୍ଦ୍ରଭାଗାର ବେଳାଭୂମିରେ ସ୍ୱାଭିମାନର ସ୍ଵାକ୍ଷର ସ୍ୱରୂପ କୋଣାର୍କର ଅବଶିଷ୍ଟାଂଶ!

ଝାପ୍ସା ଅନ୍ଧକାରେ

 ଝାପ୍ସା ଅନ୍ଧକାରେ ************* ଅସ୍ପଷ୍ଟ ଓ ଅସହାୟପୂର୍ଣ୍ଣ ଏକ ଅବୋଧ୍ୟ ଶବ୍ଦରେ ନିଦ ଭାଙ୍ଗିଲା ଅଚାନକ, ଆଖି ଖୋଲି ଦେଖେ ଖାଲି ଝାପ୍ସା ଅନ୍ଧକାରରେ ଲୁଚିବାକୁ ପ୍ରୟାସ କରୁଛି ଏ ପୃଥିବୀଟା ଯାକ! ଏ ଅନ୍ଧକାର କେମିତି ଅପରିଚିତ ଗୋଧୂଳି ଲଗ୍ନ ପରର ମୁହଁ ସଞ୍ଜ ନା ସିନ୍ଦୁରା ଫାଟିବା ପୂର୍ବର ମୁହୂର୍ତ ଜାଣିବା ମୋ ଶକ୍ତି ସାପେକ୍ଷ, ସତେ ଯେମିତି ମୋ ଆଖି ସାମ୍ନାରେ ଖାଲି କୁହୁକ ଆଉ କୁହୁକ! ସେ ଅନ୍ଧକାରରେ ବୋଝ ପାଲଟି ଯାଇଛି ସବୁ ସମ୍ପର୍କ ଗୁଡାକ, ଭଲ ପାଇବାର ବଳୟ ଭିତରେ ଗଢି ଉଠିଛି ଛଳନାର ମନ୍ଦିର ଏକ, ନିରବ ଦୀର୍ଘାଶ୍ୱାସରୁ ଆସୁଛି ଅସୂୟା ଓ ଅସହିଷ୍ଣୁତାର ମହକ, କର୍ତ୍ତବ୍ୟର ସମାଧି ମଧ୍ୟରୁ  ଶୁଭୁଛି ଖାଲି ଅଧିକାରର ଲମ୍ବା ଲମ୍ବା ତର୍କ, ବାହାନାର ଜୁପକାଠିରେ ବନ୍ଧା ପଡିଛନ୍ତି ଦାୟିତ୍ୱ ଯାକ, ଲହୁ ଲୁହାଣ ହେଉଛନ୍ତି ଅବୋଧ ହୃଦୟ ଗୁଡାକ! ସେଠି ତରଳି ଯାଉଛନ୍ତି  ଅନେକ ଦିନରୁ ଜମାଟ ବାନ୍ଧିଥିବା ଵୟୋବୃଦ୍ଧ ବିଶ୍ୱାସ ତକ, ଅସମୟରେ ପତ୍ରଝଡା ଦେଇଛି  ସୁଶୀତଳ ଛାୟା ଦେଉଥିବା ସୁବିଶାଳ ବଟବୃକ୍ଷ!

ଡର

 ଡର ***** ଶାନ୍ତ ସୁର୍ୟୋଦୟରେ ଉତପ୍ତ ମଧ୍ୟାହ୍ନରେ କ୍ଲାନ୍ତ ଅପରାହ୍ନରେ ସନ୍ଧ୍ୟାର ମୁହଁ ଅନ୍ଧାରରେ ବା ନିସ୍ତବ୍ଦ ମଧ୍ୟ ରାତ୍ରରେ, ଏଠି ଡର କେମିତି ଅନବରତ ରାଜତ୍ୱ କରୁଛି! ମନ୍ଦିର ବେଢାରେ, ଭଗବାନଙ୍କ ରତ୍ନ ସିଂହାସନରେ, ଯୀଶୁଙ୍କ ଗୀର୍ଜା ଘରରେ, ଆହ୍ଲାଙ୍କ ମସଜିଦରେ, କବୀରଙ୍କ ଗୁରୁଦ୍ୱାରରେ ପ୍ରଶାନ୍ତ ବୌଦ୍ଧ ସ୍ତୁପରେ ଡରଟା ନିଜର ଆସ୍ଥାନ ଜମାଇ ଦେଇଛି! ବିଦ୍ୟାଳୟ ଠୁଁ କାର୍ଯ୍ୟାଳୟ କୃଷିକ୍ଷେତ୍ର ଠୁଁ ନ୍ୟାୟାଳୟ ବଜାର ଠୁଁ ଚିକିତ୍ସାଳୟ ସବୁଠିଁ ଡରର ଆଧିପତ୍ୟ ଅଛି! ଜଳ, ସ୍ଥଳ, ଆକାଶରେ ଅଗ୍ନି, ବାୟୁ, ବନାନୀରେ  ଫଳ, ପୁଷ୍ପ, ଔଷଧିରେ ଏ ଡରଟା ପରିବ୍ୟାପ୍ତ ହୋଇଛି, ଜୀବନର ପ୍ରତିଟି ମୁହୂର୍ତ୍ତକୁ ଏ ଡର ନିଜର କରିଛି!

ନୀରବତା

 ନୀରବତା ******** ବିଶ୍ୱାସର ଅଭିଧାନରେ ଶବ୍ଦର ସଙ୍କଟ ହେଲେ, ପ୍ରେମର ବଳୟରେ  ପ୍ରତାରଣାର ସ୍ପର୍ଶ ପାଇଲେ, ଯନ୍ତ୍ରଣାରେ ଛଟପଟ ଆତ୍ମାଟା  ସହିବାର ଧର୍ଯ୍ୟ ହରାଇଲେ, ହୃଦୟର ଅକୁହା କଥା ସବୁ ଆତ୍ମ ସମାଧି ନେଲେ, ଏ କୋଳାହଳ ଉପତ୍ୟକାରେ  ନୀରବତାର ରାଜତ୍ୱ ଚାଲେ!

ନିଦ

 ନିଦ  ****** ଜାଣିନି ଏ ନିଦଟା  କେବେଠୁଁ ଏମିତି ଘାରିଛି,  ଉଠିବାର ଶକ୍ତି ଯେମିତି  ମୁଁ ହରାଇ ବସିଛି,  ଯୁଗ ଯୁଗ ଅନିଦ୍ରା ରହିବା ପରେ  ସତେ ଯେମିତି ମୁଁ କ୍ଲାନ୍ତ ହୋଇ ଶୋଇଯାଇଛି,  ଅନେକ କାର୍ଯ୍ୟ ଅପୂର୍ଣାଙ୍ଗ,  ତଥାପି କେମିତି  ମୁଁ ନିଷ୍ପ୍ରଭ ହୋଇଛି,  କେଉଁ ଏକ ଦୁର୍ବଳ ମୁହୂର୍ତ୍ତେ ଏକ ଅଜଣା ନିଶାର କବଳାୟୀତ ହୋଇ ମୋର ଶକ୍ତି ହରାଇଛି ! ମୁଁ ଜାଣେ ମୋ ଅତୀତ କର୍ମଭୂମୀ ଥିଲା ମୋର ଗଙ୍ଗା ଠୁଁ ଗୋଦାବରୀ ପର୍ଯ୍ୟନ୍ତ, ଆକୁମାରୀ ହିମାଚଳ ବିଜୟୀ ଥିଲେ ଚନ୍ଦ୍ରଗୁପ୍ତ କିନ୍ତୁ ମୋ ସହ ଲଢ଼ିବାକୁ  ସାହସ ତାଙ୍କ ନଥିଲା ପର୍ଯ୍ୟାପ୍ତ ! ସିଂହଳ, ଜାଭା, ସୁମାତ୍ରା  ଓ ଅନେକ ପ୍ରଦେଶ,  ସବୁଠାରେ ଥିଲା ମୋର  ଭବ୍ୟ ଉପସ୍ଥିତ,  ସାରା ବିଶ୍ୱେ କ୍ଷାତ ଥିଲି  ମୁଁ ସୁବର୍ଣ୍ଣ କପୋତ, କର୍ମବୀର ଭାବେ  ଥିଲି ସଂସାରେ ବିଦିତ,  ମଧୁ, ଗୋପ, ସୁବାଷ, ଫକୀର ଜୟୀ, ବକ୍ସି, ବାଜି ଓ ଧର୍ମପଦ  ସମସ୍ତେ ଅଟନ୍ତି ମୋର  କାଳଜୟୀ ସୁତ! ଏବେ ସବୁ ଦିଶେ  ଓଲଟା ଓ ତୀର୍ଯକ,  ସବୁ  କିଛି ଜାଣି ମଧ୍ୟ ବଞ୍ଚିଛି ମୁଁ ହୋଇ  ନିସ୍ତେଜ ଓ ନିର୍ବାକ,  ନିଦ୍ରାଶକ୍ତ, ଶକ୍ତିହୀନ,  ପରଭୋଜୀ ଓ ଯାଚକ, ଏ ଅସମୟ ନିଦ ପାଇଁ ମିଳିଛି ମୋତେ ଭୂଷଣ ଏତକ!

ମୁଁ ଚାଷୀ ଟିଏ

 ମୁଁ ଚାଷୀ ଟିଏ  ********** ମୁଁ ଚାଷୀଟିଏ, ନିୟତୀର ନିର୍ଦେଶରେ ବା ପରିସ୍ଥିତିର ପ୍ରଭାବରେ ମୁଁ ଅଳ୍ପ ଭାଷୀଟିଏ, ମୁଁ ଚାଷୀ ଟିଏ! ମାଟିରେ ମୋ ଜନ୍ମ ମାଟି ହିଁ ମୋ କର୍ମ, ମାଟି ମୋର ହୀରା ମୋତି ମାଟି ହିଁ ସର୍ବସ୍ବ, ତେଣୁ ତ ମୁଁ ସ୍ନେହରେ ବା ତାଚ୍ଛଲ୍ୟରେ, ସର୍ବ ମୁଖେ କ୍ଷାତ ମାଟିର ମଣିଷ! ମୋ କଥା ନୁହେଁ, ମୋ ହାତ ଗୋଡ଼ ମୋର ପ୍ରତ୍ୟକଟି ଅଙ୍ଗ, ସୃଷ୍ଟି କରେ ଧରା ବକ୍ଷେ ସବୁଜିମାର ତରଙ୍ଗ, ଯାହା ସଭିଙ୍କ ଜୀବନେ ଭରେ ନୂତନ ଉମଙ୍ଗ! ମୋ ସୃଷ୍ଟ ଖାଦ୍ୟ ଖାଇ ଖିଲି ଖିଲି ହସିଥାଏ ହୃଷ୍ଟପୃଷ୍ଟ ହୋଇଥାଏ ବାବୁଙ୍କ ପାପୁନ, ହେଲେ ଅପପୃଷ୍ଟିରେ ଆକ୍ରାନ୍ତ ମୋ ପପିଆ କେମିତି ନିସ୍ତେଜ ତା ପିଲାଦିନ! ସବୁଜାଣେ ସବୁ ବୁଝେ ତଥାପି ମୁଁ ହସୁଥାଏ କାରଣ ମୁଁ ଚାଷୀ ଟିଏ, ହିଂସା ଦ୍ୱେଷ ଅହଂକାର ଅନୀତି ଓ ମିଥ୍ୟାଚାର ମୋ ପାଇଁ ଅବୋଧ୍ୟ କବିତାର ପଂକ୍ତିଟିଏ , ମୁଁ ଚାଷୀ ଟିଏ! ଏବେ ଭାରି କଷ୍ଟ ଲାଗେ ଦେଖେ ଯେବେ, ମୋ ନାମରେ ଆନ୍ଦୋଳନ, ମୋ ପାଇଁ ଅନଶନ, ସର୍ବତ୍ର ଶୁଭୁଛି ଏବେ ମୋ ପାଇଁ କୁମ୍ଭୀର କ୍ରନ୍ଦନ, ମୋ ନାମେ ଚାଲିଛି ହିଂସାର ତାଣ୍ଡବ, କ୍ଷୁର୍ଣ୍ଣ ହୁଏ ମୋ ନାମେ ମୋ ଦେଶର ସମ୍ମାନ! ମୁଁ ଚାଷୀ ଟିଏ, ମୋହ ଠୁଁ ଦୂରରେ ରହି ଜୀବନ ଗଢିବାର ସଂକଳ୍ପରେ ବ୍ରତ୍ତିଟିଏ, କିନ୍ତୁ ନୁହେଁ ମୁଁ ତୁମ ବ୍ୟାପାର ପାଇଁ ଲାଭଯୁକ୍ତ ଶବ୍ଦଟିଏ, କାରଣ ମୁଁ ଚାଷୀଟିଏ!

ବାଇମୁଣ୍ଡି -2

 ବାଇମୁଣ୍ଡି -2 ******** ସେଦିନ ବି ଆଜିପରି  ଭିଡ଼ ଲାଗିଥିଲା,  ସୈନ୍ୟ ସାମନ୍ତ ଗହଣରେ  ମାଛି ପଶିଲେ ନଵଖଣ୍ଡ  ସୁରକ୍ଷା ବଳୟ ମଧ୍ୟରେ  ମର୍କତ କେଶରୀ ଆସିଥିଲା,  କିଏ ଜଣେ କହୁଥିଲା  ସେ ଅଟେ ରାଜା,  ସବୁ କରିପାରେ,  କିଛି ଦୋଷ ନଥାଇବି  ଶୁଳୀ ଦେଇ ପାରେ,  ଭିକାରୀକୁ ଚାହିଁଲେବି ଭରି ଦେବ ଐଶ୍ଵର୍ଯ୍ୟରେ, ସ୍ୱୟଂ ଇନ୍ଦ୍ର କୁଆଡେ  ପରିଚାଳିତ ତାଙ୍କରି କଥାରେ! ସେଦିନ ସକାଳେ ତାକୁ ଦେଖି ମନେ ମୋର  ସାହସ ବାନ୍ଧିଲି,  ଶ୍ରାବଣର ଭୟକୁ  ସ୍ମରଣ କରିଲି, କେଇ ଅଣା ଥିଲା ମୋ ଜୀବନ ସମ୍ବଳ,  ତାକୁ ମୋ ଅଧା ଛିଣ୍ଡା ଗାମୁଛାରେ ଗଣ୍ଠି ପକାଇଲି,  ମୃତ୍ୟୁ ଖୁବ ନିକଟରେ ଜାଣିବି  ସୈନ୍ୟ ଭିଡ଼ ଠେଲି ତା ପାଖକୁ  ଯିବାକୁ ପ୍ରୟାସ ମୁଁ କଲି ! ସେମାନେ ମୋତେ  ଧରିନେଲ ଦୋଷୀ ଟିଏ ପରି,  ଏହା ପରେ ମୃତ୍ୟୁ ଦଣ୍ଡ  ମୁଁ ଜାଣିଥିଲି,  ତଥାପି ସେହି ଏକା ଜିଦ,  ଛାମୁଙ୍କୁ ଭେଟିବି  ଥରୁଟିଏ ବୋଲି  ବାରମ୍ବାର କହୁଥିଲି ! ଦୂରରୁ ସେ ଦେଖି ଦେଲେ  ମୋ ଜୀର୍ଣ୍ଣ ଶୀର୍ଣ୍ଣ ରୂପ,  ନିର୍ଦେଶିଲେ ନେବାକୁ ମୋତେ  ତାଙ୍କର ସମୀପ,  ଜରାଜିର୍ଣ ମୋ ଶରୀର  ଅସ୍ତି କଙ୍କାଳ ପୂର୍ଣ୍ଣ,  ଅର୍ଦ୍ଧ ଲଗ୍ନ ଶରୀରରେ  ବସ୍ତ୍ର ମୋର ଶୀର୍ଣ୍ଣ, ...

କୋଣାର୍କ-1

 କୋଣାର୍କ-1 ******* ଉତକ୍ଷିପ୍ତ ସାଗର ତାର ଅପରାଜୟ ଅହମିକାକୁ ତ୍ୟାଗକରି ହାର ମାନିଲା, ନିୟତିର ନିୟମ ବଦଳିବାର ଆୟାରମ୍ଭ ହେଲା, ଯେବେ ଅଥଳ ଜଳରାଶିରେ କୋଣାର୍କର ଭିତ୍ତି ପ୍ରସ୍ଥର ପଡିଲା! ଶକ୍ତିଶାଳୀ ମଣିଷ କ୍ରୁମ ପାଲଟି ଗଲେବି, ତାର ଅଦମ୍ୟ ପ୍ରୟାସର ବିରାମ ନଥିଲା, ବିରାଟ ଶିଳାଖଣ୍ଡ ନୀଳ ଜଳରାଶିରେ ସତ୍ତା ନହରାଇ, ନିଜ ଉପସ୍ଥିତ ଜାହିର କରିଲା! ନିଶ୍ଚଳ ଶିଳା ଖଣ୍ଡଟି  ନିହାଣ ସ୍ପର୍ଶରେ ପ୍ରଗଳ୍ଭତା ପ୍ରାପ୍ତି ହେଲା, ଅକୁହା କଥା ସବୁ ଶିଳ୍ପୀର ଅଗୋଚରରେ  ଅମାନିଆ ନିହାଣକୁ ପାର୍ଥେୟ କରି  ସ୍ୱତଃ ଆତ୍ମ ପ୍ରକାଶ କଲା! ସମାଜର ଆକଟ ମଧ୍ୟରେ  ଯୁଗ ଯୁଗର ଜମାଟ  ବାନ୍ଧିଥିବା ବରଫ ଖଣ୍ଡ ସବୁ ତରଳିବାକୁ ଲାଗିଲା, ଜୀବନର, ଯୌବନର ଜନ୍ମର ଓ ମୃତ୍ୟୁର ଅକୁହା ସତ୍ୟ ସବୁ ପଥର ଖଣ୍ଡର ମୁଖରେ କବିତା ର ରୂପନେଲା! ସବୁ ଏଠି ଯେମିତି ଚିରାଚରିତର ବିପରୀତ ଥିଲା, ପତି ଏଠି ପତ୍ନୀର ସାହ୍ନିଧ୍ୟ ପାଇଁ ବ୍ୟାକୁଳ ନଥିଲା, ପ୍ରେମିକଟି ତା ପ୍ରେମ ପାଇଁ ତୁଳୀ ଧରିନଥିଲା, ପିତା କେବେ ପୁତ୍ରର ଭବିଷ୍ୟତ ପାଇଁ ଚିନ୍ତିତ ନଥିଲା, ଶିଳ୍ପୀଟି ନିଜ ଯଶ ପାଇଁ ନୁହେଁ ବରଂ ସମ୍ପୂର୍ଣ କୁଳର  ସୁରକ୍ଷା ନିମିତ୍ତ ନିହାଣ ଚଳାଉ ଥିଲା! ସୂର୍ଯ୍ୟାସ୍ତ ହେବା ମାତ୍ରକେ ଶବ୍ଦଶୂନ୍ୟ ପରିଧିରେ ନିର୍ବାକ ମଣିଷ ଗୁଡାକ ଦେଖୁଥିଲେ ତାରାମୟ ବିରାଟ ଆକାଶକୁ, କାନଡେରୀ ଶୁଣୁଥିଲେ ପଥର ଖଣ୍ଡର ଅକୁହା କଥାକୁ ଯାହା ଆତ...

କୁଳବୃଦ୍ଧ

 କୁଳବୃଦ୍ଧ  ******* କଙ୍କାଳ ଗୁଡିକରେ  ରକ୍ତ ମାଂସ ଭରିବାର  ଅଦମ୍ୟ ପ୍ରୟାସରେ  ସାରିଦେଲ ଜୀବନର  ସମସ୍ତ ଜମା ପୁଞ୍ଜି, ନିର୍ବାକ, ନିଃଶବ୍ଦ, ନିରୀହ,  ଶୁପ୍ତ ମଣିଷ ମାନଙ୍କୁ  ଜାଗ୍ରତ କରି ପ୍ରଗଳ୍ଭତା  ପ୍ରଦାନ କରିବା ନିଶାରେ  ଦେଇଥିଲ ସମସ୍ତ  ପାର୍ଥିବ ସୁଖକୁ ତେଜି ! କିନ୍ତୁ  ଏବେ ସେ କଙ୍କାଳ ସବୁ  ମେଦବହୁଳତାର ଶୀକାର,  ରକ୍ତ ଶୁନ୍ୟ ଶରୀର ଗୁଡାକରେ  ପ୍ରଭାବ ଉଚ୍ଚ ରକ୍ତଚାପର,  ତୁମେ ଜଗାଇ ଥିବା  ନିଶବ୍ଦ ମଣିଷମାନେ  ମଦମତ୍ତ ବାଚାଳ,  ତୁମ ସ୍ୱପ୍ନର ଉଦ୍ୟାନରେ  ଜୁଇ, ଯାଇ, ମଲ୍ଲୀ କି ମାଳତୀ ନୁହେଁ,  ଭିଡ଼ ଏଠି ପଳାସ ଫୁଲର ! ହେ କୁଳବୃଦ୍ଧ,  ତୁମେ କଣ କଳ୍ପିଥିଲ,  ସ୍ୱାର୍ଥ ପାଖେ ଅବଶ ଓ  ପରାହତ ସୈନିକଙ୍କ ଏ ବିରାଟ ପଟୁଆର,  ନା ବିଜୟ ଧ୍ୱନିରେ ନିନାଦିତ  ଅପରାଜେୟ ଉତ୍କଳର?

କିଏ ସିଏ

 କିଏ ସିଏ ******** ସମୁଦ୍ରର ଢେଉରେ ହଜି ଯାଉଥିବା ମୁକ୍ତା ବିନ୍ଦୁ ସବୁକୁ  ଗୋଟିଏ ମାଳାରେ ବାନ୍ଧି ରଖିବାର ସଫଳ ରୂପାୟନର  ଅଭିବ୍ୟକ୍ତି ସେ, ଆଷାଢର ବାରିଧାରେ ମୁକ୍ତ ଆକାଶ ତଳେ ଭିଜୁଥିବା କାନଭାସରେ ଅମୂଲ୍ୟ ଛବି ଗୁଡ଼ିକୁ  ସଂରକ୍ଷିତ ରଖିବାର ଅଦମ୍ୟ ପ୍ରୟାସ ସେ, କାଳଗ୍ରାସୀ ଭୂଚଳନରେ ଅସ୍ତିତ୍ୱ ହରାଉ ଥିବା ଶିଳା ଖଣ୍ଡକୁ ବାନ୍ଧିରଖିବାର ଦୁର୍ବାର ପ୍ରଚେଷ୍ଟା ସେ, ମୁଁ ଠାରୁ ଅଲଗା ହୋଇ ଅସହାୟ ଯନ୍ତ୍ରଣାରେ ଜର୍ଜରିତ ଆତ୍ମା ଗୁଡିକୁ ସ୍ୱାଭିମାନର ମନ୍ତ୍ରରେ ଉଦବୃଦ୍ଧ କରିଥିବା ମହାସ୍ତୋତ୍ର ଟିଏ ସିଏ, କଳିଙ୍ଗ, ଉତ୍କଳ, ଓଡିଶାର  ସ୍ୱତନ୍ତ୍ର ପରିଚୟ ସେ, କୁଳବୃଦ୍ଧ, ଉତ୍କଳଗୌରବ, ଯୁବ ଚେତନାର ଅପରାଜେୟ  ଧ୍ୱଜାବାହକ ମଧୁବାବୁ ସେ!