ଗିରିଧାରୀ

 ଗିରିଧାରୀ
********
ସେଦିନ କେମିତି
ଅତର୍କିତ ମେଘଗୁଡ଼ାକ
ଆକାଶରେ ଜମା ହୋଇଗଲେ,
ଅସମୟରେ ସୂର୍ଯ୍ୟ କେଉଁଠି
ଲୁଚିଗଲେ କଳାହାଣ୍ଡିଆ
ବାଦଲ ଗୁଡାକର ମଧ୍ୟରେ,
ଧୂଧୁ ଖରାବେଳଟା ପାଲଟିଗଲା
ଅମାବାସ୍ୟାର ରାତ୍ରିରେ,
ବିଜୁଳୀ ଘଡଘଡିରେ
ଶାନ୍ତି ପ୍ରିୟ ଗୋପପୁର
ହଜିଗଲା ଆତଙ୍କର
ପରିଧି ମଧ୍ୟରେ!
ନିରୀହ ଗୋକୁଳବାସୀ
ଧାଉଁ ଥିଲେ ଏଣେ ତେଣେ
ଜୀବନ ରକ୍ଷା ପାଇଁ
ଆଶ୍ରୟ ଲକ୍ଷ୍ୟରେ,
ଶିଶୁ ଠୁଁ ପଶୁ ପର୍ଯ୍ୟନ୍ତ
ସମସ୍ତେ ବ୍ୟସ୍ତଥିଲେ 
ଆତ୍ମ ସୁରକ୍ଷାରେ,
ନଅ ବର୍ଷର ଚପଳ
ବାଳକ କୃଷ୍ଣ
ଏସବୁ ଦେଖୁଥିଲେ
ଅତ୍ୟନ୍ତ ଚକିତ ଚିତ୍ତରେ,
ମନରେ ତାଙ୍କ ପ୍ରଶ୍ନ ଏକ
ଆସୁଥିଲା ବାରମ୍ବାର,
ସତରେ କଣ
ଏ ନିରୀହ ଜୀବ ସବୁ
ନିଜକୁ ବଞ୍ଚାଇ ପାରିବେ
ତାଙ୍କର  ନିଜ ପ୍ରୟାସରେ?
ତାଙ୍କ ଚପଳ ମୁଣ୍ଡରେ
ଏକ ଉପାୟ ଆସିଲା,
ପ୍ରକୃତି ଠୁଁ ପ୍ରକୃତିକୁ ରକ୍ଷା ପାଇଁ
ପ୍ରକୃତିର ସାହାଯ୍ୟ ଲୋଡ଼ିଲେ,
ଗୋବର୍ଦ୍ଧନ ଗିରୀକୁ ସେ
ଭରସାକୁ ନେଲେ 
ଏକତା ହିଁ ବଳ ବୋଲି
ସଭିଙ୍କୁ ପାଠ ପଢ଼ାଇଲେ,
ନିରୀହ ଗୋକୁଳ ବାସୀ
ତାଙ୍କ କଥା ମାନି
ଚାରିଦିଗୁଁ ପ୍ରୟାସ କରିଲେ
ତତକ୍ଷଣାତ ଗୋବର୍ଦ୍ଧନ
ହାଲୁକା ମନେହେଲା,
ଛତ୍ରୀ ସାଜି ଗୋପବାସୀଙ୍କୁ
ଆଶ୍ରୟ ଦେଲା,
ସଭିଙ୍କ ମୁଖରେ ଜୟଧ୍ୱନି ଥିଲା!
ଏକତା ହିଁ ବଳ ବୋଲି
ସମସ୍ତେ ମାନିଲେ,
ନଅ ବର୍ଷ ବାଳକକୁ
ତାଙ୍କ ନେତା ମାନି ନେଲେ,
ତାଙ୍କ ଶକ୍ତି ନୁହେଁ,
କୃଷ୍ଣର ଶକ୍ତିରେ ମେରୁ
ଉର୍ଦ୍ଧ୍ୱେ ଉଠିଥିଲା,
ଏହି ସତ୍ୟରୁ ସେମାନେ
ଅଜ୍ଞ ରହିଥିଲେ!
କୃଷ୍ଣ କିନ୍ତୁ ସବୁ କରି
ନକରିବାର ଅଭିନୟ କଲେ,
ବାସ୍ତବ ନେତୃତ୍ୱର ସ୍ୱରୂପ ରଖିଲେ,
ଶ୍ରେୟ ନେବା ନୁହେଁ,
ଶ୍ରେୟ ଦେବାଟା ହିଁ
ନେତାଙ୍କ ଲକ୍ଷଣ ବୋଲି
ପ୍ରମାଣ ରଖିଲେ,
ମୁଁ ନୁହେଁ ଆମ୍ଭେ ବୋଲି
ସମ୍ବୋଧନ କଲେ,
ଏକା ନୁହେଁ ଏକତାରେ
ବିଶ୍ୱାସ ରଖିଲେ!
ସବୁ ଜାଣି ସବୁ ବୁଝି
ଆମେ ଏବେ ଅବୁଝା ହେଉଛେ,
ମୁଁତ୍ବର ଚକ୍ରବ୍ୟୁହରେ ନିଜକୁ
ବନ୍ଦୀ ବନାଉଛେ,
ନିଜର ବଡ଼ିମା ପାଇଁ
କାର୍ଯ୍ୟସୂଚୀ ପ୍ରସ୍ତୁତ କରୁଛେ,
ଏକତାର ମନ୍ତ୍ର ଭୁଲି
ଏକାକୀତ୍ୱକୁ ଆଦରି ନେଉଛେ!

Comments

Popular posts from this blog

କହିଦେ କାଳିଆ ଥରେ

ଚାଲ ଥରେ ଗାଁର ମଣିଷଟେ ହେବା - ୧

ଝଡ଼ ପରର ସକାଳ