ମୋ ଛାଇ ଓ ମୁଁ

 ମୋ ଛାଇ ଓ ମୁଁ 
************
ପ୍ରଭାତର ସୁନେଲି 
କିରଣରେ ପୃଥିବୀଟା 
ରଙ୍ଗୀନ ଦିଶୁଥିବା ବେଳେ 
ମୁଁ କେମିତି ଧାଇଁଥିଲି 
ଛାଇକୁ ଧରିବା ନିଶାରେ, 
କୁନି କୁନି ପାଦ ମୋର 
ଅକ୍ଲାନ୍ତ ଓ ଅବିଶ୍ରାନ୍ତ 
ଧାଉଁ ଥିଲେ ଲମ୍ବି ଯାଉଥିବା
ମୋ ଛାଇ ପଛରେ !
ସୂର୍ଯ୍ୟ ଯେବେ ପ୍ରଖର ହେଲା, 
ଛାଇ ମୋର ଧିରେ ଧିରେ 
ଆତ୍ମ ସମର୍ପଣ କଲା 
ମୋ ନିଜ ଶରୀର ପାଖରେ, 
ସମ୍ପୂର୍ଣ ସତ୍ତା ହରାଇଲା ଓ 
ମୋ ସହ ଏକ ହୋଇ ଗଲା 
ତପ୍ତ ମଧ୍ୟାହ୍ନରେ !
ଯେବେ ଅପରାହ୍ନ 
ଧିରେ ଉପନୀତ ହେଲା 
ଛାଇ ମୋର 
ଗତି ବଦଳାଇଲା, 
ମୋ ଶରୀର ଠୁଁ 
ଲମ୍ବୀ ଲମ୍ବୀ ଗଲା 
ବିପରୀତ ଦିଗରେ ! 
ଏଥର ସେ କ୍ଲାନ୍ତ ଥିଲା, 
ଘର ମୁହାଁ ହୋଇ 
ଚାଲୁଥିଲା ବିଶ୍ରାମ ନେବାକୁ, 
ମୋ ପାଇଁ ଏବେ ସେ
ଆହ୍ୱାନ ନଥିଲା 
ବରଂ ନିରବ ଅନୁସରଣୀୟ 
ମାଧ୍ୟମଟେ ଥିଲା, 
ସନ୍ଧ୍ୟା ଆସିବା ମାତ୍ରେ 
ଛାଇ ମୋର 
ସାଥି ଛାଡି ଦେଲା,
ମୋତେ ଏକା କରି
ଏ ମୁହଁ ସଞ୍ଜ
ଅନ୍ଧାର ମଧ୍ୟରେ !

Comments

Popular posts from this blog

କହିଦେ କାଳିଆ ଥରେ

ଚାଲ ଥରେ ଗାଁର ମଣିଷଟେ ହେବା - ୧

ଝଡ଼ ପରର ସକାଳ