ଝାପ୍ସା ଅନ୍ଧକାରେ

 ଝାପ୍ସା ଅନ୍ଧକାରେ
*************
ଅସ୍ପଷ୍ଟ ଓ ଅସହାୟପୂର୍ଣ୍ଣ
ଏକ ଅବୋଧ୍ୟ ଶବ୍ଦରେ
ନିଦ ଭାଙ୍ଗିଲା ଅଚାନକ,
ଆଖି ଖୋଲି ଦେଖେ ଖାଲି
ଝାପ୍ସା ଅନ୍ଧକାରରେ
ଲୁଚିବାକୁ ପ୍ରୟାସ କରୁଛି
ଏ ପୃଥିବୀଟା ଯାକ!
ଏ ଅନ୍ଧକାର କେମିତି ଅପରିଚିତ
ଗୋଧୂଳି ଲଗ୍ନ ପରର ମୁହଁ ସଞ୍ଜ ନା
ସିନ୍ଦୁରା ଫାଟିବା ପୂର୍ବର ମୁହୂର୍ତ
ଜାଣିବା ମୋ ଶକ୍ତି ସାପେକ୍ଷ,
ସତେ ଯେମିତି ମୋ ଆଖି ସାମ୍ନାରେ
ଖାଲି କୁହୁକ ଆଉ କୁହୁକ!
ସେ ଅନ୍ଧକାରରେ
ବୋଝ ପାଲଟି ଯାଇଛି
ସବୁ ସମ୍ପର୍କ ଗୁଡାକ,
ଭଲ ପାଇବାର ବଳୟ ଭିତରେ
ଗଢି ଉଠିଛି ଛଳନାର ମନ୍ଦିର ଏକ,
ନିରବ ଦୀର୍ଘାଶ୍ୱାସରୁ ଆସୁଛି
ଅସୂୟା ଓ ଅସହିଷ୍ଣୁତାର ମହକ,
କର୍ତ୍ତବ୍ୟର ସମାଧି ମଧ୍ୟରୁ 
ଶୁଭୁଛି ଖାଲି ଅଧିକାରର
ଲମ୍ବା ଲମ୍ବା ତର୍କ,
ବାହାନାର ଜୁପକାଠିରେ
ବନ୍ଧା ପଡିଛନ୍ତି ଦାୟିତ୍ୱ ଯାକ,
ଲହୁ ଲୁହାଣ ହେଉଛନ୍ତି
ଅବୋଧ ହୃଦୟ ଗୁଡାକ!
ସେଠି ତରଳି ଯାଉଛନ୍ତି 
ଅନେକ ଦିନରୁ ଜମାଟ ବାନ୍ଧିଥିବା
ଵୟୋବୃଦ୍ଧ ବିଶ୍ୱାସ ତକ,
ଅସମୟରେ ପତ୍ରଝଡା ଦେଇଛି 
ସୁଶୀତଳ ଛାୟା ଦେଉଥିବା
ସୁବିଶାଳ ବଟବୃକ୍ଷ!

Comments

Popular posts from this blog

କହିଦେ କାଳିଆ ଥରେ

ଚାଲ ଥରେ ଗାଁର ମଣିଷଟେ ହେବା - ୧

ଝଡ଼ ପରର ସକାଳ