ମାଟିର ସ୍ବର

 ମାଟିର ସ୍ବର
ହୃଦୟର କେଉଁ ନିଭୃତ କୋଣରେ
ଉଙ୍କି ମାରେ ସଦା ପ୍ରଶ୍ନ ଟିଏ,
ଚଳ ଚଞ୍ଚଳ ମୋ ଉତ୍କଳ ଭୂଇଁରେ
ଶିଥିଳତା ବୀଜ ବୁଣିଲା କିଏ?

ଯେଉଁ ଉତ୍କଳୀୟ ରଣ ହୁଙ୍କାରରେ
ଥରି ଉଠୁଥିଲା ଭାରତ ବର୍ଷ,
ସେହି ବୀର ଭୂମି ବକ୍ଷୁ ଆସୁଛି
ଅସହାୟତାର ଦୀର୍ଘ ଶ୍ବାସ!

ଯାହାର କୋଳରେ ଜନ୍ମ ନେଇଥିଲେ
ମଧୁ, ଗୋପବନ୍ଧୁ, ବକ୍ସି ଓ ବାଜି,
ସେ ମା କୋଳରେ ନିର୍ଭୟେ ବୁଲନ୍ତି
ଚୋରା ଖଣ୍ଟ ଏବଂ ତସ୍କର ପାଜି|

ସମ୍ପଦମୟ ମୋ ଜନ୍ମ ଭୂମିରେ
ସଦା ହସୁଥିଲା ସୁନାର ଶସ୍ୟ,
ତାହାରି ବକ୍ଷରେ ବହୁଅଛି ଆଜି
ବୁଭୁକ୍ଷୁଙ୍କର ଉଷ୍ମ ଶ୍ବାସ|

ଧରମାର କୀର୍ତ୍ତି ଏବେବି ରହିଛି
ଚନ୍ଦ୍ରଭାଗର ବେଳା ଭୂମିରେ,
ପ୍ରୁରୁଷୋତ୍ତମ ଶୋଭା ପାଉଛନ୍ତି
ମୁକ୍ତି ଧାମର ଶ୍ରୀମନ୍ଦିରରେ|

ଅହିଂସାର ବାଣୀ କରେ ପ୍ରଚାର
ଧଉଳି ପାହାଡ ସଗର୍ବେ ଆଜି ,
ଏବେବି ରହିଛି ବାରବାଟୀ ଦୁର୍ଗ
ଓଡିଆ ବୀରତ୍ଵ ସ୍ମାରକ ସାଜି|

ବକୁଳ ବନର ପଞ୍ଚସଖା ଜ୍ଞାନ
ଆହରଣ କରି ବୁଲନ୍ତି ଥୋକେ,
ଆବଶ୍ୟକ ବେଳେ ଆସେନା କାହିଁକି
ସେ ଅମୂଲ୍ୟ ବାଣୀ ତାଙ୍କରି ମୁଖେ!

ବୀର ପ୍ରସବିନୀ ସେ ବୀରା ଜନନୀ
ନିରବେ ବାହୁଛି ଆଖିରୁ ଲୁହ,
ତାହାରି କୋଳରେ ତା ସନ୍ତାନ ବଢେ
ବୁଝି ପାରେନା ତା ଅନ୍ତର କୋହ|

ଭାରତ ବର୍ଷର ଅର୍ଥ ଦରବାରେ
ନିସ୍ଵ ରୂପେ ଗଣା ମୋ ଜନନୀ,
ପ୍ରକୃତି ଦେଇଛି ଅଜସ୍ର ସମ୍ପଦ
କିନ୍ତୁ ତା ସନ୍ତାନ ତାକୁ ବୁଝୁନି |

ଉଚ୍ଚ ଶିକ୍ଷା କରି ବୋଲାଏ ଶିକ୍ଷିତ
ବୁଝେନା ତାର କୌଳିକ ବୃତ୍ତି,
 ଲୁପ୍ତ ପ୍ରାୟ ଆଜି କୁଟୀର ଶିଳ୍ପ
ବିଶ୍ବ ବକ୍ଷେ ଥିଲା ଯାହାର କୀର୍ତ୍ତି|

ପାଶ୍ଚାତ ପ୍ରଭାବେ ସର୍ବେ ପୁଲକିତ
ମାତୃଭାଷା ହୁଏ ଅବହେଳିତ,
ଉତ୍ତର ପିଢିର ଭାଷା ଜ୍ଞାନ ବିନା
ବୌଦ୍ଧିକ ପ୍ରଗତି ହୁଏ ସୀମିତ|

ଧର୍ମ, ଜାତି ଏବଂ ଆଞ୍ଚଳିକତାରେ
ଚାଲେ ତା ବକ୍ଷରେ ରାଜନୀତି,
ରାଜନେତା ସବୁ ସ୍ଵାର୍ଥରେ ଅନ୍ଧ
ହରାଇଛନ୍ତି ସେ ଜନତା ପ୍ରୀତି|

ତେଣୁ ହେ ବୀର ସନ୍ତାନ ଗଣ
ଜାଗ ହୋଇ ସର୍ବେ ଏକାକାର,
ମେଦିନ କମ୍ପିବ ବାସୁକୀ ଥରିବ
ଜନନୀ ହସିବ ପୁନର୍ବାର|

ତା ବକ୍ଷ ହେବ ଶସ୍ୟ ଶ୍ୟାମଳା
ବିଶ୍ୱେ ହେବ ମା ସମ୍ପଦମୟୀ
ଲୁପ୍ତ ପ୍ରାୟ କଳା ଜାଗ୍ରତ ହେବ
ଉତ୍କଳ ହେବ କାଳଜୟୀ|

ଆଳସ୍ୟ ତେଜ ହେ ବୀର ସନ୍ତାନ
ଗାଇ ଉଠ ଥରେ ମାତୃବନ୍ଦନା
ଓଁ କାର ମୟ ହେଉ ଏ ପୃଥିବୀ
ଲୁପ୍ତ ହେଉ ସବୁ ଦୁଃଖ ଯାତନା|

ହସିବ ଜନନୀ ହସିବ ପୃଥିବୀ
ହସିବେ ସକଳେ ଉତ୍କଳ ବାସୀ
ପ୍ରାଚୁର୍ଯ୍ୟ ମୟୀର ସୌଭାଗ୍ୟ ଦେଖି
ଆପେ ଜଳି ଯିବ ଯେତେ ବିଦ୍ଵେଷୀ |

ବିରାଟ ବିଶ୍ବର କୋଣେ ଅନୁକୋଣେ
ରହି ଅଛ ଯେଉଁ ଓଡିଆ ଭାଇ
ସଗର୍ବେ କୁହ ଶ୍ରେଷ୍ଠ ମୋ ଓଡ଼ିଶା
ସ୍ଵର୍ଗାଦପି ଗରୀୟସୀ ମୋ ଭୂଇଁ|
 
ଦେବେନ୍ଦ୍ର ନାଥ ରାଉତ
ନୂଆଦିଲ୍ଲୀ, ମୋ:୯୩୫୦୧୨୭୩୭୦

Comments

Popular posts from this blog

କହିଦେ କାଳିଆ ଥରେ

ଚାଲ ଥରେ ଗାଁର ମଣିଷଟେ ହେବା - ୧

ଝଡ଼ ପରର ସକାଳ