କହିଦେ କାଳିଆ ଥରେ

 


କାଳିଆରେ,
ଜନ୍ମ ବେଦୀରେ କଥାଦେଇଥିଲୁ
ମାଉସୀ ମା କୁ ତୋରେ,
ସବୁ ନିତୀକାନ୍ତି ଛାଡି ତା ପାଖକୁ
ଆସିବୁ ବର୍ଷକେ ଥରେ |

କାହିଁ କେତେଦିନ ବିଗତ ହୋଇଛି
ହିସାବ ନାହିଁ ତାହାର,
ପାଳୁଛୁ ନିରନ୍ତେ ଦିଆ କଥାକୁ ତୁ
ନାହଁ ବ୍ୟତିକ୍ରମ ତାର|

ଜନ୍ମ ବେଦୀ କଥା ମନେତୁ ରଖିଛୁ
ଭୁଲିନୁ କର୍ତ୍ତବ୍ୟ ତୋର ,
ବର୍ଷକୁ ଥରେ ତୋ ଲିଳାଖେଳାରେ
ହସେ ତୋ ମାଉସୀ ଘର|

ହସେ ତୋ ମାଉସୀ, ହସନ୍ତି ପଡୋଶୀ,
ଉଲ୍ଲାସେ ନଗରବାସୀ,
ଗର୍ବରେ କୁହନ୍ତି କାଳିଆ ତାଙ୍କର
ଦୁଃଖ ଦୂର କରେ ଆସି|

ହେଲେରେ କାଳିଆ, କାହିଁକି କେଜାଣି
ମନ ମୋ ବୁଝୁନି ଜମା,
ଦୂର ସହରକୁ ଯାଇଛି ମୋ କୁନା
ହୋଇନାହିଁ ଘର ମନା|

ପେଟ ଚାଖଣ୍ଡକ ଭରଣ ପାଇଁ ସେ
ଯାଇଥିଲା ବିଦେଶକୁ,
ସେବେ ଠୁଁ ଚାହିଁଛି ଆସିବ କେବେ ସେ
ମୋ ଭଙ୍ଗା କୁଡିଆକୁ |

ଚାହିଁ ରହିଛନ୍ତି ତା ଷଠି ଘର
ଚାଟଶାଳୀ ଓ ତା ସାଥି,
ତା ଚଲାବାଟ ତା ଅଳି ଅଝଟ
ସବୁ ପାଲଟିଛି ସ୍ମୃତି|

କିଏ କହେ ସିଏ ବଡ ବାବୁ ଏବେ
ଆଗେ ପିଛେ ତାର ଲୋକ ,
ଅଜସ୍ର ଦାୟିତ୍ବ ତା କାନ୍ଧ ଉପରେ
ତେଣୁ ସେ କାର୍ଯ୍ୟ ମନସ୍କ |

ମା ମାଟି ପାଇଁ ସେ ଅଟେ ମହାନ
ପ୍ରତି ଜନ ଏଠି ଝୁରେ,
ତଥାପି ମୋ କୁନା ଆସୁନି କାହିଁକି
କହିଦେ କାଳିଆ ଥରେ|

Comments

Popular posts from this blog

ଚାଲ ଥରେ ଗାଁର ମଣିଷଟେ ହେବା - ୧

ଝଡ଼ ପରର ସକାଳ